ପୁରୀ( ଦ କୁଇଭର ):- ଦିନକ ପରେ ଗୁଣ୍ଡିଚା ମନ୍ଦିରରେ ଲୀଳାଖେଳା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ମହାବାହୁ। ଆସନ୍ତାକାଲି ସନ୍ଧ୍ୟା ଦର୍ଶନ । ଆଉ ଚଳିତବର୍ଷ ପାଇଁ ଭକ୍ତ ପାଇବେ ଶେଷ ଆଡପ ଅବଢ଼ା । ଯଦି ନୀତିକାନ୍ତି ଶୃଙ୍ଖଳିତ ହୁଏ ଆସନ୍ତାକାଲି ଶୀଘ୍ର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ନବମୀ ସନ୍ଧ୍ୟା ଦର୍ଶନରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଗୁଣ୍ଡିଚା ମନ୍ଦିର ଆଗରେ ହୋଇଥିବା ବ୍ୟାରିକେଡ଼ ସମ୍ପ୍ରସାରଣ କରାଯାଇଛି । ଗହଳି ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ସେଡ୍ ବ୍ୟବସ୍ଥା ସହ ଅଗ୍ନିଶମ ବିଭାଗ ପକ୍ଷରୁ ଜଳସିଞ୍ଚନର ବ୍ୟବସ୍ଥା କରାଯିବ । ଆଜି ଉଭୟ ଜିଲ୍ଲାପାଳ ଓ ଏସପି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେଭଳି ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୃଙ୍ଖଳିତ କରାଯିବ। ଆଉ ଦିନକ ପରେ ବାହୁଡ଼ା ଯାତ୍ରା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ବାହୁଡ଼ାକୁ ନେଇ ମଧ୍ୟ ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ ।
No comments yet.
State,National
ଦ କୁଇଭର ବ୍ୟୁରୋ :- ଆସନ୍ତା ୧୪ରେ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ୧୫ ତାରିଖରେ ରେଭେନ୍ସା ବିଶ୍ବବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବ ଏବଂ ଅନ୍ୟ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେଇ ପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଉତ୍ସବରେ ରାଷ୍ଟ୍ରପତିଙ୍କ ସହ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଉତ୍ସବରେ ୨୦୨୩, ୨୦୨୪ ଏବଂ ୨୦୨୫ ଶିକ୍ଷା ବର୍ଷ ପାଇଁ ୧୫୦ ଜଣ PHD ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ଓ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ତିନି ବର୍ଷର ମୋଟ ୬ ଜଣ କୃତି ଛାତ୍ରଛାତ୍ରୀଙ୍କୁ ବେଷ୍ଟ ଗ୍ରାଜୁଏଟ ଭାବରେ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ ବୋଲି ସୂଚନା ଦେଇଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ ।
State
ଗଞ୍ଜାମ, ବ୍ରହ୍ମପୁର ( ଦ କୁଇଭର ):- କିଛି ଭୁଲ ବୁଝାମଣା ପାଇଁ ଭାଙ୍ଗିଯାଉଛି ଅନେକ ସଂସାର, ଶେଷ ହୋଇଯାଉଛି ଦୀର୍ଘଦିନ ଧରି ରହିଥିବା ପାରିବାରିକ ସମ୍ପର୍କ,ଦୁଇ ମନ ସହ ଦୁଇ ପରିବାର ଏବଂ ସେମାନଙ୍କ ମଧ୍ୟରେ ଗଢି ଉଠିଥିବା ସମସ୍ତ ସମ୍ପର୍କ ପରିସମାପ୍ତି ହୋଇଯାଉଛି l କେତେବେଳେ ବିବାହ ବିଛେଦ ତ ଆଉ କେତେବେଳେ ପାରିବାରିକ କଳହ, ଆଉ କେତେବେଳେ ନିରୀହ ଛୁଆମାନଙ୍କ ଭାଗବଣ୍ଟା ହୋଉ କିମ୍ବା ସମ୍ପତ୍ତି ବିଚାର ସବୁଥିର ଶେଷରେ ଦୁଃଖ ଆଉ କ୍ଷୋଭ ଥାଏ, ତା'ସହିତ ପଶ୍ଚାତାପ ମଧ୍ୟ l
କିନ୍ତୁ ମଧ୍ୟସ୍ଥତା କେନ୍ଦ୍ରର ବୁଝାମଣା ମାଧ୍ୟମରେ ଯେତେବେଳେ ଦୀର୍ଘ ବର୍ଷରୁ ଲାଗିରହିଥିବା କଳହ, ଅନେକ ଦିନରୁ ରହିଥିବା ସମ୍ପର୍କରେ ଫାଟ ଯଦି ଯୋଡି ହୋଇଯାଏ, ଏକ ହୋଇଯାନ୍ତି ବିବାଦ ଭିତରେ ଥିବା ଦୁଇ ପରିବାର, ଉଭୟ ପରିବାରଙ୍କ ଭଲପାଇବା ପାଇଥାନ୍ତି କୁନି କୁନି ଛୁଆ... ତାହେଲେ କେତେ ସୁନ୍ଦର ଲାଗେ ଏ ପରିବେଶ, ଭରିଯାଏ ସମସ୍ତଙ୍କ ଆଖିରେ ଖୁସିର ଲୁହ ଓ ଆନନ୍ଦ ଉଲ୍ଲାସ l
ଏପରି ଏକ ପାରିବାରିକ ବିବାଦର ଆପୋଷ ସମାଧାନ ହୋଇପାରିଛି ଗଞ୍ଜାମ ଜିଲ୍ଲାର ମଧ୍ୟସ୍ଥତା କେନ୍ଦ୍ର ଦ୍ୱାରା, ତାହାପୁଣି ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଡ଼ଃ ଭାଗ୍ୟଲକ୍ଷ୍ମୀ ରଥଙ୍କ ନିର୍ଦ୍ଦେଶ କ୍ରମେ ଏବଂ ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନାରେ, ପେନେଲ ଓକିଲ ଶ୍ରୀ ଟି.କେ ରେଡ୍ଡୀଙ୍କ ମଧ୍ୟସ୍ଥ ଦ୍ୱାରା l ଆଇନ ସେବା ପ୍ରାଧିକରଣର ମଧ୍ୟସ୍ଥତା କେନ୍ଦ୍ର ହେଉଛି ଏକ ମାତ୍ର ବିକଳ୍ପ ଯେଉଁଠି ଅଳ୍ପ ସମୟ ମଧ୍ୟରେ ଦୀର୍ଘ ଦିନଠୁ ଲାଗିରହିଥିବା ବିବାଦର ହୋଇପାରିବ ସମାଧାନ l
ସୂଚନା ପ୍ରକାରେ, ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ପଠାଯାଇଥିବା ଗୋଟିଏ ମାମଲାର ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣର ମଧ୍ୟସ୍ଥତା କେନ୍ଦ୍ର ଦ୍ୱାରା ଗୋଟିଏ ଉଜାଡି ଯାଇଥିବା ପରିବାରକୁ ଯୋଡ଼ାଯାଇପାରିଲା l ଯଦ୍ୱାରା ଉଭୟ ସ୍ୱାମୀ ସ୍ତ୍ରୀ ଏବଂ ତିନୋଟି ସନ୍ତାନ ଉପକାର ପାଇଲେ l ମତାନ୍ତର ମନାନ୍ତର ଯୋଗୁଁ ଦୀର୍ଘ ଦିନରୁ ବିବାହ ବିଛେଦ, ପାରିବାରିକ ବିବାଦ ,ଘରୋଇ ହିଂସା ଭଳି ଏକାଧିକ ମାମଲା ବିଭିନ୍ନ ଥାନା ଓ କୋର୍ଟ କଚେରୀରେ ରହିଥିଲା l କିନ୍ତୁ ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣର ମଧ୍ୟସ୍ଥତା କେନ୍ଦ୍ର ଦ୍ୱାରା ପେନେଲ ଓକିଲ ଶ୍ରୀ ଟି.କେ ରେଡ୍ଡୀଙ୍କ ମଧ୍ୟସ୍ଥ ଅନୁଯାୟୀ ଆଶୁ ସମାଧାନ, ଆପୋଷ ବୁଝାମଣା ମାଧ୍ୟମରେ ବୁଧବାର (୦୨. ୦୭. ୨୫) ଦିନ ସମାଧାନ ହୋଇପାରିଛି l ଦୁଇ ପରିବାର ପୁଣି ଏକ ହୋଇଛନ୍ତି, ଛୁଆ ମାନେ ଉଭୟ ବାପା ମା'ଙ୍କୁ ପାଖରେ ପାଇଛନ୍ତି.. ଏସବୁ କେବଳ ସମାଧାନ ହୋଇପାରିଛି ଉଭୟ ପକ୍ଷଙ୍କୁ ନେଇ ମଧ୍ୟସ୍ଥତା ଦ୍ୱାରା l
State
ବ୍ରହ୍ମପୁର( ଦ କୁଇଭର):- ବ୍ରହ୍ମପୁରରେ ପୁଣି ଏକ ହତ୍ୟା। ପୁଷ୍ପାଞ୍ଜଳି ଲଜରେ ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା ପରେ ଥାନାରେ ଅଭିଯୁକ୍ତ ପ୍ରେମିକ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ତେବେ ଅଭିଯୁକ୍ତ ଜଣକ ବ୍ରହ୍ମପୁର ଲଞ୍ଜିପାଲ୍ଲି ସ୍ଥିତ ଉମା ନାଗର ପ୍ରଥମ ଗଳିର ଅଭୟ କୁମାର ମହାରଣା ବୋଲି ଜଣାପଡିଥିବା ବେଳେ ମୃତ୍ୟୁ ବରଣ କରିଥିବା ପୀଡିତା ହେଉଛନ୍ତି ପ୍ରିୟା କୁମାରୀ ମହାରଣା, ସେ ଲଞ୍ଜିପାଲ୍ଲୀ ଆଉଟପୋଷ୍ଟ ନିକଟର ବୋଲି ସୂଚନା ମିଳିଛି | ତେବେ ଦୁହେଁ ଆଜି ପୁଷ୍ପଞ୍ଜଳି ଗେଷ୍ଟ ହାଉସ୍ କୁ ଯାଇଥିବା ବେଳେ ପ୍ରେମିକ ଅଭୟ ପ୍ରେମିକା ପ୍ରିୟାକୁ ଛୁରୀ ଭୂଷି ହତ୍ୟା କରିବା ସହ ନିଜେ ଯାଇ ଥାନାରେ ଆତ୍ମ ସମର୍ପଣ କରିଥିବା ସୂଚନା ମିଳିଛି l ତେବେ କାହିଁକି ଏ ହତ୍ୟା ହୋଇଛି, ହତ୍ୟା ପଛର କାରଣ କ'ଣ, ଏସବୁ ବିଷୟରେ ଅନୁସନ୍ଧାନ କରିବା ସହ ଘଟଣା ସ୍ଥଳରେ ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି l
Health & lifestyle
ମାଲକାନଗିରି( ଦ କୁଇଭର):- ରୋଗୀକୁ ଆଣିବାକୁ ଯାଇ ଅଧା ରାସ୍ତାରେ ଫସିଲା ଆମ୍ବୁଲାନ୍ସ । ଗୋଟିଏ ପଟେ ଗର୍ଭବତୀ ମହିଳା ଯନ୍ତ୍ରଣା ରେ ଛଟପଟ ହେଉଥିବା ବେଳେ ଏପଟେ ଆମ୍ବୁଲାନ୍ସର ଏଭଳି ଅବସ୍ଥା । ଏଥିରୁ ଅନୁମାନ କରିହେବ ଯେ ଉପାନ୍ତ ଆଉ ଦୁର୍ଗମ ଅଞ୍ଚଳର ଲୋକେ କିଭଳି ଦୁର୍ଦ୍ଦଶା ରେ ଜୀବନ କାଟୁଛନ୍ତି । ଗାଁ କୁ ଯାତାୟାତ ପାଇଁ ଭଲ ରାସ୍ତାଟିଏ ନଥିବାରୁ ରୋଗୀ ମରଣ ମୁହଁକୁ ଟାଣି ହେଉଛନ୍ତି ।କାଦୁଅ ରାସ୍ତାରେ ଆମ୍ବୁଲାନ୍ସ ଫସି ଯିବା ପରେ ଟାଣିଲା ଟ୍ରାକ୍ଟର ।ଏ ଦୃଶ୍ୟ ହେଉଛି ମାଲକାନଗିରି ଜିଲ୍ଲା ନାକାମାମୁଡ଼ି ପଞ୍ଚାୟତ ଅନ୍ତର୍ଗତ କରକାଗୁଡାର । ଗର୍ଭବତୀ ମହିଳାକୁ ମେଡିକାଲରେ ପ୍ରସବ ପାଇଁ ଆଣିବାକୁ ଯାଇଥିବା ଆମ୍ବୁଲାନ୍ସ ବିଳମ୍ବ ଯୋଗୁଁ ଶେଷରେ ଘରେ ପ୍ରସବ କଲେ ମହିଳା।କର୍କା ଗୁଡା ଗାଁ ର ଗର୍ଭବତୀ ମହିଳା ମାଲାବତି ବିଶୋଇ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ନିଜ ଘରେ ପ୍ରସବ ହୋଇ ପୁତ୍ର ସନ୍ତାନ ଜନ୍ମ କରିଛି l ତାର ଧୀରେ ଧୀରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେଉଥିବା ବେଳେ ସେପଟେ ଘରେ ଆମ୍ବୁଲାନ୍ସ ପହଁଚିବା ବିଳମ୍ବ ହେଉଥାଏ । ଲୋକେ ଆମ୍ବୁଲାନ୍ସ ଡ୍ରାଇଭରକୁ ଫୋନ କଲେ ଯେତେବେଳେ ଅଧା ବାଟରେ କାଦୁଅରେ ଫସିଥିବା କହିଥିଲେ ଆମ୍ବୁଲାନ୍ସ ଡ୍ରାଇଭର ।ଶେଷରେ ଗାଁ ଲୋକେ ଟ୍ରାକ୍ଟର ଭଡା କରି ନେଇ ଆମ୍ବୁଲାନ୍ସ କୁ ଦୌଡିରେ ଟାଣି ଆଣି ଭଲ ରାସ୍ତାରେ ପହଞ୍ଚାଇଥିଲେ । ପରେ ଗୁରୁତର ପ୍ରସବ ମହିଳାକୁ ମେଡିକାଲ ରେ ପହଞ୍ଚାଇ ଜୀବନ ବଞ୍ଚାଇଥିଲେ । କିନ୍ତୁ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବା ବେଳେ ସମାଧାନ ପାଁ ଦାବି କରିଛନ୍ତି ଗାଁ ଲୋକେ l
State,Shree Jagannath
ପୁରୀ( ଦ କୁଇଭର ):- ରତ୍ନଭଣ୍ଡାର ମରାମତି କାର୍ଯ୍ୟର ଅନୁଧ୍ୟାନ କଲେ ଗଜପତି ମହାରାଜ । ପୁରୀ ଶ୍ରୀମନ୍ଦିରରେ କରାଯାଇଥିବା କାର୍ଯ୍ୟକୁ ଅନୁଧ୍ୟାନ କରିବା ପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ଗଜପତି ମହାରାଜ । ରତ୍ନଭଣ୍ଡାର କାର୍ଯ୍ୟ ପ୍ରାୟ ସମ୍ପୂର୍ଣ ହୋଇଯାଇଛି। ୬ଶହରୁ ଅଧିକ ପଥର ବଦଳା ଯାଇଛି। ଭିତର ଭଣ୍ଡାର ଘରରେ ଅନେକ ପଥର ବଦଳାଇ ଥିବା ବେଳେ ସମସ୍ତ ବିମ୍ କୁ ଶକ୍ତ କରଯାଇଛି ।ଭଣ୍ଡାରର ବାହାର ଓ ଭିତର ଅଂଶକୁ ରାସାୟନିକ ପ୍ରଲେପ ଦେଇ ସଂରକ୍ଷଣ କରାଯାଉଛି। ସମୁଦାୟ ୧୪ ଟି ଵିମ୍ ମରାମତି କରାଯାଇଅଛି । ପର୍ଯାୟକ୍ରମେ ରତ୍ନ ଭଣ୍ଡାର କାର୍ଯ୍ୟରେ ୮୦ରୁ ଅଧିକ କୁଶଳୀ କାରିଗର ମରାମତି କାମ କରିଛନ୍ତି। ଶ୍ରୀମନ୍ଦିରର ସମସ୍ତ ରୂପା ଦ୍ୱାରକୁ ପରିଷ୍କାର ସହ ବଳକା ଥିବା ଦ୍ୱାରକୁ ବର୍ମାଟିକ କାଠରେ ନୂଆ କବାଟ ଲଗାଯାଉଛି l ଗର୍ଭଗୃହର କାଠ ନିର୍ମିତ କନକ ମୁଣ୍ଡିକୁ ବଦଳାଯାଇ ଷ୍ଟେନଲେସ ଷ୍ଟିଲର କନକ ମୁଣ୍ଡି ଲଗାଯାଉଅଛି ।
National
ଦ କୁଇଭର ବ୍ୟୁରୋ:- ତେଲଙ୍ଗାନାର ସିଗାଚି ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଫାର୍ମା ଫ୍ୟାକ୍ଟ୍ରି ବିସ୍ଫୋରଣ ଘଟଣାରେ ମୋଟ୍ ୪୦ ମୃତକଙ୍କ ମଧ୍ୟରେ ୪ଜଣ ଓଡ଼ିଆ ଅଛନ୍ତି। ଏପରିକି ୩୩ରୁ ଅଧିକ ଆହତଙ୍କ ମଧ୍ୟରେ ୪ ଜଣ ଓଡ଼ିଆ ଅଛନ୍ତି। ୪ ଓଡ଼ିଆଙ୍କ ମୃତଦେହ ଚିହ୍ନଟ ହୋଇଛି। ମୃତକମାନେ ହେଲେ, କଟକ ତିଗିରିଆର ଲଗ୍ନଜିତ ଦୁଆରି, ବାଲେଶ୍ୱରର ମନୋଜ ରାଉତ, ଯାଜପୁରର ଦୋଳଗୋବିନ୍ଦ ସାହୁ ଏବଂ ଗଞ୍ଜାମ ଛତ୍ରପୁରର ରାଜନାଲା ଜଗନମୋହନ। ଏପରିକି ଏହି ବିସ୍ଫୋରଣ ଘଟଣାରେ ଆଉ ୫ ଓଡ଼ିଆ ନିଖୋଜ ଥିବା ସ୍ପଷ୍ଟ କରିଛନ୍ତି, ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର OSD ପ୍ରୀତିଶ କୁମାର ପଣ୍ଡା। ଏସମସ୍ତ ଓଡ଼ିଆ ବ୍ୟକ୍ତି ସିଗାଚୀ ଫାର୍ମା କମ୍ପାନୀର କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ଉକ୍ତ ଓଡ଼ିଆ ବ୍ୟକ୍ତିମାନଙ୍କର ଉଦ୍ଧାର କାର୍ଯ୍ୟ ସମେତ ପରିବାରବର୍ଗଙ୍କୁ ସାହାଯ୍ୟ ଓ ସହଯୋଗ ପ୍ରଦାନ କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ୨ ଜଣ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ୨ଜଣ ଅଧିକାରୀ- ଡକ୍ଟର ଚନ୍ଦ୍ର ଶେଖର ହୋତା ଏବଂ ପ୍ରୀତିଶ କୁମାର ପଣ୍ଡା ଘଟଣାସ୍ଥଳରେ ପହଂଚି ନିଖୋଜ ରହିଥିବା ଓଡ଼ିଆ ବ୍ୟକ୍ତିମାନଙ୍କର ସନ୍ଧାନ ନିମନ୍ତେ ସଙ୍ଗାରେଡ୍ଡୀ ଜିଲ୍ଲା ପ୍ରଶାସନକୁ ସହଯୋଗ କରୁଛନ୍ତି। ଏଥିସହିତ ଅଧିକାରୀମାନେ ଆହତ ହୋଇଥିବା ଓଡ଼ିଆ ବ୍ୟକ୍ତିମାନଙ୍କୁ ଚିକତ୍ସାଳୟରେ ଭେଟିଛନ୍ତି। ଆହତ ହୋଇଥିବା ବ୍ୟକ୍ତିମାନଙ୍କର ଚିକିତ୍ସା ନିମନ୍ତେ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ପ୍ରଦାନ କରାଯାଇଛି। ମୃତ୍ୟୁବରଣ କରିଥିବା ଓଡ଼ିଆ ବ୍ୟକ୍ତିମାନଙ୍କର ମୃତ ଶରୀରକୁ ଓଡ଼ିଶାକୁ ଫେରେଇ ଆଣିବା ସହ ସେମାନଙ୍କ ପରିବାର ବର୍ଗକୁ ସାହାଯ୍ୟ କରିବା ନିମନ୍ତେ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ତେଲଙ୍ଗାନାର ସିଗାଚି ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ବୁଧବାର ସ୍ପଷ୍ଟ କରିଛି ଯେ, ଜୁନ୍ ୩୦ରେ ଏହାର ପଶାମିଲାରାମ ପ୍ଲାଣ୍ଟରେ ହୋଇଥିବା ବିସ୍ଫୋରଣ ଏବଂ ଅଗ୍ନିକାଣ୍ଡରେ ୪୦ ଜଣ ସଦସ୍ୟଙ୍କୁ ହରାଇଛି। ଏପରିକି ଏହି ଭୟଙ୍କର ଘଟଣାରେ ମୃତକଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୧ କୋଟି ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛି।
ସରକାରୀ ସଂଖ୍ୟା ଅନୁସାରେ, ବୁଧବାର ସୁଦ୍ଧା ମୃତକଙ୍କ ସଂଖ୍ୟା ୪୦ ଛୁଇଁଛି। "ଦୁଃଖର ସହିତ ଆମେ ତେଲଙ୍ଗାନାର ପଶାମିଲାରାମରେ ଥିବା ସିଗାଚି ଇଣ୍ଡଷ୍ଟ୍ରିଜ୍ ରେ ଘଟିଥିବା ଦୁର୍ଘଟଣାର ବିବରଣୀ ସେୟାର କରୁଛୁ। ଯାହା ଫଳରେ ୪୦ ଜଣ ମୂଲ୍ୟବାନ ଦଳର ସଦସ୍ୟଙ୍କ ମୃତ୍ୟୁ ହୋଇଛି ଏବଂ ୩୩ ରୁ ଅଧିକ ଆହତ ହୋଇଛନ୍ତି," ବୋଲି କମ୍ପାନୀ ଏକ ବିବୃତ୍ତିରେ କହିଛି।
ତେବେ ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ କହିଛନ୍ତି ଯେ ଏହି ଭୟଙ୍କର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଫାର୍ମାର ମ୍ୟାନେଜମେଣ୍ଟ ସହିତ ଯୋଗାଯୋଗ କରିବେ। ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଯେଉଁମାନେ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ। ଏପରିକି ଯେଉଁମାନେ ଆହତ ହୋଇଛନ୍ତି କିନ୍ତୁ କିଛି ସୁସ୍ଥ ହେବାପରେ ପୁଣି କାମ ଆରମ୍ଭ କରିପାରିବେ, ସେମାନଙ୍କୁ ୫ଲକ୍ଷ ଟଙ୍କା ପ୍ରଦାନ କରାଯିବ।
State
କେନ୍ଦୁଝର( ଦ କୁଇଭର ):-
କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ବିଛାକୁଣ୍ଡି ନିକଟସ୍ଥ ଦଲପାହାଡ ଠାରେ ଥିବା ଏକ ପରିତ୍ୟକ୍ତ ଖଣିରେ ମଙ୍ଗଳବାର ରାତି ଖଣି ଅତଡା ଖସିବା ଫଳରେ ୩ ଜଣ ଲୋକ ସେଥିରେ ଚାପି ହୋଇ ଯାଇଥିଲେ। ସୂଚନା ପାଇ ଯୋଡା ଓ ବାମେବାରୀ ପୋଲିସ ସହ ବନ ବିଭାଗ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ପ୍ରବଳ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପୁନର୍ବାର ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇ ୬ ଘଣ୍ଟା ପରେ ଖଣି ଅତଡା ମଧ୍ୟରୁ ୩ଟି ମୃତଦେହ ଉଦ୍ଧାର କରା ଯାଇଥିବା ଜଣା ପଡିଛି। ମୃତକ ମାନେ ବିଛାକୁଣ୍ଡି ଗ୍ରାମର ସନ୍ଦୀପ ପୂର୍ତ୍ତି, କାଣ୍ଡେ ମୁଣ୍ଡା ଓ ଗୁରୁ ଚାମ୍ପିଆ ବୋଲି ଚିହ୍ନଟ ହୋଇଛନ୍ତି। ମାଙ୍ଗାନିଜ ଚୋରା ଚାଲାଣ ବେଳେ ଏହି ଅଘଟଣ ଘଟିଥିବା ଚର୍ଚ୍ଚା ହେଉଥିବା ବେଳେ ପୋଲିସ୍ ତଦନ୍ତ ଜାରି ରଖିଥିବା ସୂଚନା ରହିଛି।
State
ଭୁବନେଶ୍ୱର ( ଦ କୁଇଭର ):- ବିଏମ୍ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଛି। ସାରା ରାଜ୍ୟରେ ଏ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଏମ୍ସି କର୍ମଚାରୀ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଓଆର୍ଏସ୍ ଓ ଓଏଏସ୍ ଅଧିକାରୀ ସମୂହ ଛୁଟିରେ ଯାଉଥିବାରୁ ପ୍ରଶାସନିକସ୍ତରରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ଖାରବେଳନଗର ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଅନ୍ୟ ଦୁଇ ଅଭିଯୁକ୍ତ ଝାରପଡ଼ା ଅଞ୍ଚଳର ସଞ୍ଜୀବ ମିଶ୍ର ଓ ଲକ୍ଷ୍ମୀସାଗର ଅଞ୍ଚଳର ସଚ୍ଚିକାନ୍ତ ସ୍ବାଇଁଙ୍କୁ ଗିରଫ କରିଛି। ଗତକାଲି ଗିରଫ ହୋଇଥିବା କର୍ପୋରେଟର ଅପରୂପ ନାରାୟଣ ରାଉତ (ଜୀବନ), ରଶ୍ମିରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କ ସମେତ ଆଜି ଗିରଫ ହୋଇଥିବା ଦୁଇ ଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ହେଲେ ଏବେ ବି ୫ରୁ ଅଧିକ ଫେରାର ଥିବା ପୁଲିସ କହିଛି। ସ୍ବଚ୍ଛସାଥୀ ରେବତୀ ରାଉତଙ୍କୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା କଥା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ସ୍ବଚ୍ଛସାଥୀ ରେବତୀ ବିଜେପି ସଭାକୁ ଲୋକ ନେଇ ଯାଉଥିବାରୁ ୩୪ ନମ୍ବର ୱାର୍ଡର କର୍ପୋରେଟର ତାଙ୍କ ନାମରେ ଅଭିଯୋଗ କରିବା ଏବଂ ଏ ନେଇ ଅତିରିକ୍ତ କମିସନରଙ୍କ ହସ୍ତକ୍ଷେପ ଘଟଣା ମଧ୍ୟ ସାମନାକୁ ଆସିଛି। ବିଜେପି ନେତା ଜଗନ୍ନାଥ ପ୍ରଧାନ ମୁହଁ ଖୋଲି ଅତିରିକ୍ତ କମିସନରଙ୍କ ଉପରେ ଆରୋପ ଲଗାଇଛନ୍ତି। ଅତିରିକ୍ତ କମିସନର ସ୍ବଚ୍ଛସାଥୀ ଓ ତାଙ୍କୁ ଖରାପ ବ୍ୟବହାର କରିଥିବା ନେଇ ଅଭିଯୋଗ ଆଣିଛନ୍ତି। ସେହିପରି ବିଜେପିକୁ ଟାର୍ଗେଟ୍ କରି ବିରୋଧୀ ବର୍ଷିଛନ୍ତି। ବିଜେଡି, କଂଗ୍ରେସ, ଆପ୍ ପ୍ରମୁଖ ରାଜନୈତିକ ଦଳ ଘଟଣା ପଛର ମୁଖ୍ୟ ଷଡ଼୍ଯନ୍ତ୍ରକାରୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି l
ଅନ୍ୟପଟେ ଏହି ଘଟଣାକୁ ନେଇ ବିଏମ୍ସି ଅଧିକାରୀ/କର୍ମଚାରୀମାନେ ବିଏମ୍ସି କମିସନର ରାଜେଶ ପ୍ରଭାକର ପାଟିଲଙ୍କୁ ଭେଟି ଦାବିପତ୍ର ଦେବା ସହ କଳାବ୍ୟାଜ୍ ପିନ୍ଧି କଲମ ଛାଡ଼ ଆନ୍ଦୋଳନ କରିଛନ୍ତି। ଫଳରେ ଆଜି ବିଏମ୍ସି କାର୍ଯ୍ୟାଳୟର ସମସ୍ତ କାମ ଠପ୍ ହୋଇଯାଇଛି। କେବଳ କାର୍ଯ୍ୟାଳୟ ଭିତରେ ନୁହେଁ, ବରଂ ବିଏମ୍ସିର ୱାର୍ଡମାନଙ୍କରେ ସଫେଇ କର୍ମଚାରୀ, ସ୍ବଚ୍ଛସାଥୀମାନେ ମଧ୍ୟ କାମ ବନ୍ଦ କରି ଦେଇଛନ୍ତି। ଫଳରେ ସହରର ଅଧିକାଂଶ ସ୍ଥାନରେ ଆଜି ଅଳିଆ ଉଠି ପାରିନାହିଁ। ଏ ଘଟଣାର ସମାଧାନ ନ ହେଲେ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଗତକାଲି ବିଜେଡି କର୍ପୋରେଟର ଓ ନେତାମାନେ ଆନ୍ଦୋଳନ କରିଥିବା ବେଳେ ପୁଲିସ ସେମାନଙ୍କୁ ରାଜରାସ୍ତାରୁ ଉଠେଇ ନେଇଥିଲା। ହେଲେ ଆଜି ପୁଣି ବିଜେଡି କର୍ପାରେଟରମାନେ ବିଏମ୍ସି ମୁଖ୍ୟ ଫାଟକ ଆଗରେ ଆନ୍ଦୋଳନରେ ବସିଥିଲେ। ତୁରନ୍ତ ମୁଖ୍ୟ ଅଭିଯୁକ୍ତ ଓ ଷଡ଼୍ଯନ୍ତ୍ରକାରୀଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ତେବେ ମେୟର ସୁଲୋଚନା ଦାସ ଆସି ବୁଝାସୁଝା କରି ସେମାନଙ୍କୁ ଉଠାଇଥିଲେ।ଅତିରିକ୍ତ କମିସନରଙ୍କ ଅଭିଯୋଗ ଅଧାରରେ ଖାରବେଳନଗର ଥାନା ପୁଲିସ କେସ୍ ନଂ-୨୮୦ରେ ବିଏନ୍ଏସ୍ ଦଫା ୩୩୩/୧୩୨/୧୨୧(୧)/୧୨୧(୨)/୧୦୯/୩୫୧(୨)/୬୨/୧୪୦(୨)/୩୦୪/୫୪/୬୧(୨)/୧୮୯(୨)/୧୯୦/୩(୫)ରେ ମାମଲା ରୁଜୁ କରିଛି। ଏହି ଘଟଣାରେ ରାଜ୍ୟ ବିଜେପି କଠୋର ଆଭିମୁଖ୍ୟ ନେଇଛି। ଗିରଫ ହୋଇଥିବା ୫ ଜଣଙ୍କୁ ଦଳର ସଭାପତି ମନମୋହନ ସାମଲ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରିଛନ୍ତି। ଏମାନେ ସମସ୍ତେ ବିଜେପିର ଭୁବନେଶ୍ବର ଜିଲ୍ଲା ଶାଖାର ସକ୍ରିୟ କର୍ମୀ ଥିଲେ। ଏହି ଘଟଣାକୁ ନେଇ ରାଜ୍ୟ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ତେବେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଏକାମ୍ର ବିଧାୟକ ବାବୁ ସିଂହ ଏହି ଘଟଣାକୁ ଗତକାଲି ନିନ୍ଦା କରିଥିଲେ। ଦୋଷୀଙ୍କ ବିରୋଧରେ ଆଇନଗତ ଓ ଦଳୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅପରାଜିତା ମତ ଦେଇଥିଲେ।
ତେବେ ଏ ନେଇ ଅତିରିକ୍ତ କମିସନର ଶ୍ରୀ ସାହୁ କହିଛନ୍ତି, ଗତକାଲି ଅଭିଯୋଗ ଶୁଣାଣି ବେଳେ ମୋତେ ପଚରାଗଲା, ଜଗା ଭାଇଙ୍କୁ କିଛି ଖରାପ ବ୍ୟବହାର କଲେ କି? ମୁଁ ମନା କରିଥିଲି। ତା’ପରେ ମୋତେ ପ୍ରାଣାନ୍ତକ ଆକ୍ରମଣ କରାଗଲା। ବହୁତ ଲୋକ ମିଛ କଥା କହି ଅଭିଯୋଗ ଆଣିବେ। ରେବତୀ ବେହେରାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଘଟଣାକୁ ଅଲଗା ରୂପ ଦେବା ପାଇଁ ମିଛ ଆରୋପ ଲଗାଯାଉଛି। ପୁଲିସ ତା’ ହିସାବରେ କାମ କରୁଛି। ମୋର ଆଇନ ଉପରେ ସମ୍ପୂର୍ଣ୍ଣ ଭରସା ଅଛି। ମୋତେ ନ୍ୟାୟ ମିଳିବ।
Business
ଦ କୁଇଭର ବ୍ୟୁରୋ:- କମିଲା ଗ୍ୟାସ ଦର । ତୈଳ ମାର୍କେଟିଂ କମ୍ପାନୀ ୧୯ କେଜି କର୍ମସିଆଲ ଏଲପିଜି ସିଲିଣ୍ଡର ଦାମ୍ ହ୍ରାସ ପାଇଛି । ଆଜିଠୁ ଏହି ନୂଆ ଦର ଲାଗୁହେବ । ୧୯କେଜି କମର୍ସିଆଲ ଗ୍ୟାସ ଦର ପ୍ରାୟ ୬୦ ଟଙ୍କା ଶସ୍ତା ହୋଇଛି । ଘରୋଇ ସିଲିଣ୍ଡର ଅର୍ଥାତ ୧୪ କିଲୋ ଏଲପିଜି ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ । ଆଇଓସିଏଲ ୱେବସାଇଟ୍ ମୁତାବକ, ଜୁଲାଇ ୧ତାରିଖରୁ ୧୭୨୩ ଟଙ୍କା ୫୦ ପଇସା ଥିବା କମର୍ସିଆଲ ଏଲପିଜି ସିଲିଣ୍ଡର କମି ୧୬୬୫ ଟଙ୍କା ହୋଇଛି । ଏହି ହିସାବରେ କମ୍ପାନୀ ସିଲିଣ୍ଡର ପ୍ରତି ୫୮.୫୦ ପଇସା କମ୍ ହୋଇଛି । ନୂଆ ଦାମ୍ ଅନୁସାରେ କୋଲକାତାରେ ୧୦ କେଜି ଏଲପିଜି ଦର ୧୮୨୬ ଟଙ୍କାରୁ କମି ୧୭୬୯ ହୋଇଛି । ମୁମ୍ବାଇରେ ୧୬୭୪.୫୦ ଟଙ୍କାରୁ ୧୬୧୬.୫୦ ଟଙ୍କା ହୋଇଛି । ସେହିପରି ଚେନ୍ନାଇରେ ୧୮୮୧ ଟଙ୍କାରୁ ୧୮୩୨.୫୦ ଟଙ୍କା ହୋଇଛି । ଏହାପୂର୍ବରୁ ଜୁନ୍ରେ ଏଲପିଜି ସିଲିଣ୍ଡର ଦର ୨୪ ଟଙ୍କା କମିଥିଲା । ତେବେ ୧୯ କେଜି କର୍ମସିଆଲ ଗ୍ୟାସ ସିଲିଣ୍ଡର କମିବା ପରେ ହୋଟେଲ, ରେଷ୍ଟୁରାଣ୍ଟ, ଢାବା ଏବଂ ଅନ୍ୟ ବ୍ୟବସାୟିକ ସଂସ୍ଥାକୁ ଆଶ୍ୱସ୍ତି ମିଳିଛି । ଘରୋଇ ଗ୍ୟାସ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଦର ୨୦୨୫ ଏପ୍ରିଲ ୮ ପରଠୁ ବଦଳିନାହିଁ । ଲଗାତାର ୪ର୍ଥ ମାସରେ ମଧ୍ୟ କର୍ମସିଆଲ ସିଲିଣ୍ଡର ଦାମ୍ କମିଛି ।
State
ଦ କୁଇଭର ବ୍ୟୁରୋ :- ସୁବର୍ଣ୍ଣରେଖା ଓ ଜଳକାରେ ଜଳସ୍ତର ବୃଦ୍ଧି ଯୋଗୁଁ ଉତ୍ତର ବାଲେଶ୍ୱରରେ ବନ୍ୟା ପରିସ୍ଥିତି ଉପୁଜିଛି। ଚାରିଟି ବ୍ଲକ ଜଳେଶ୍ବର, ଭୋଗରାଇ, ବସ୍ତା, ବାଲିଆପାଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ପଶିଛି ବନ୍ୟା ପାଣି। ବନ୍ୟପାଣିରେ ଭାସିଯାଇ ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ବସ୍ତା ବ୍ଲକ ବାସି ଚକୁରାଇ ପଞ୍ଚାୟତରେ ଜଳକା ନଦୀରେ ଗତକାଲି ବନ୍ୟା ପାଣିରେ ଭାସି ଯାଇଥିବା କାଳନ୍ଦା ଗ୍ରାମର ଶତ୍ରୁଘ୍ନ ବିନ୍ଧାଣିଙ୍କ ମୃତଦେହ ଆଜି ଉଦ୍ଧାର କରିଛି ଓଡ୍ରାଫ ଟିମ୍। ହାଟ ସାରି ଫେରିବା ସମୟରେ ସେ ବନ୍ୟା ପାଣିରେ ଭାସି ଯାଇଥିଲେ। ରାତି ସାରା ପରିବାର ପକ୍ଷରୁ ଖୋଜାଖୋଜି କରି ତାଙ୍କର କୌଣସି ଖବର ପାଇ ନଥିଲେ। ହେଲେ ଆଜି NDRF, ଅଗ୍ନିଶମ ଏବଂ ପୋଲିସ ପହଂଚି ୨୦ ଫୁଟ ଗଭୀର ନଦୀ ଭିତରୁ ଶବକୁ ଉଦ୍ଧାର କରିଥିଲେ। ସେହିପରି ଅନ୍ୟଜଣେ ବୃଦ୍ଧଙ୍କର ନଦୀ ଜଳରେ ଭାସିଯାଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାକୁ ନେଇ ବସ୍ତା ବିଧାୟିକା ସୁବାଶିନୀ ଜେନା ପ୍ରଶାସନକୁ ଦୋଷ ଦେବାସହ ଦାୟିତ୍ୱରେ ଅବହେଳା କରାଯାଇଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ ହଜାର ହଜାର ହେକ୍ଟର ଚାଷଜମି ବୁଡ଼ି ରହିଛି। ଏବେ ତଳା ପକାଇଥିବା ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ସରକାରୀ ସହାୟତା କେବଳ ସମୁଦ୍ରକୁ ଶଙ୍ଖେ ବୋଲି ଅଭିଯୋଗ କରିଛନ୍ତି ଚାଷୀ। ସାତ ଦିନର ବ୍ୟବଧାନରେ ଦୁଇଥର ବନ୍ୟାକୁ ସାମ୍ନା କରିଥିବା ଉତ୍ତର ବାଲେଶ୍ୱରବାସୀ ଏବେ ଦୁର୍ଦ୍ଦିନରେ ଥିବା ଦେଖିବାକୁ ମିଳିଛି। ବନ୍ୟାରେ ଜିଲ୍ଲାର ୫୩ ଟି ପଞ୍ଚାୟତ ପ୍ରଭାବିତ ହୋଇଥିବା ବେଳେ ୩୬୫୬ ଜଣଙ୍କୁ ପ୍ରଶାସନ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ଛାଡିଥିଲା। ବନ୍ୟା ଜଳରେ ଭାସି ଯାଇ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଇବା ସହ ଚାଷୀମାନଙ୍କ କ୍ଷୟକ୍ଷତିର ତୁରନ୍ତ ଆକଳନ କରିବା ପାଇଁ ବସ୍ତା ବିଧାୟିକା ସୁବାଶିନୀ ଜେନା ଦାବି କରିଛନ୍ତି। ସେହିପରି ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ବିନୟ ଦାସ ମହାପାତ୍ରଙ୍କ ନେତୃତ୍ବରେ ଅନ୍ୟ ଏକ ଟିମ୍ ବନ୍ୟା ପରିସ୍ଥିତି ସମୟରେ ଆବଶ୍ୟକୀୟ ସ୍ବାସ୍ଥ୍ୟ ସେବା ଏବଂ ଜଳବାହିତ ରୋଗ ରୋକିବା ପାଇଁ ନିୟୋଜିତ କରାଯାଇଛି। ଏହି ଟିମ୍ ମଧ୍ଯ ତୃଣମୂଳ ସ୍ତରରେ ଯେପରି ସୂଚନା-ଶିକ୍ଷା-ସଂଚାର ମାଧ୍ୟମରେ ଜନସଚେତନତା ସୃଷ୍ଟିକରାଯାଇ ପାରିବ ତାହା ସୁନିଶ୍ଚିତ କରୁଛନ୍ତି। ସାପକାମୁଡା ଜନିତ ଜନସଚେତନତା ଓ ଚିକିତ୍ସା ବିଷୟରେ ବିଶେଷ ଗୁରୁତ୍ବ ଦିଆଯାଉଛି। ସାପକାମୁଡ଼ା ଚିକିତ୍ସା ପାଇଁ ଆବଶ୍ୟକୀୟ ଔଷଧ, ORS, ହ୍ୟାଲୋଜେନ୍ ଟ୍ୟାବଲେଟ୍ ଆଦି ମହଜୁଦ ରଖୁବା ଉପରେ ଗୁରୁତ୍ବ ଦିଆଯାଉଛି।ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଜନସାଧାରଣଙ୍କ ନିରାପଦ ସ୍ବାସ୍ଥ୍ୟକୁ ସୁନିଶ୍ଚିତ କରିବା ପାଇଁ ସମନ୍ବିତ ଭାବରେ କାର୍ଯ୍ୟ କରୁଛି ଓ ସମସ୍ତ ପରିସ୍ଥିତି ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବିଭାଗୀୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି l
Shree Jagannath,Politics,State
ପୁରୀ( ଦ କୁଇଭର ):- ରଥଯାତ୍ରାରେ ସୃଷ୍ଟି ହୋଇଥିବା ଦଳଚକଟା ଭଳି ସ୍ଥିତି ନେଇ ରାଜ୍ୟରେ ଶାସକ ଏବଂ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ସରକାର ବିରୋଧୀଙ୍କ ଟାର୍ଗେଟରେ ରହିଛନ୍ତି। ସମୀକ୍ଷା ବୈଠକ ଜୋର ହେଉଛି କିନ୍ତୁ କାମ ହେଉନାହିଁ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ସରକାରଙ୍କ ଠାକୁରଙ୍କ ପ୍ରତି ଭକ୍ତି ନାହିଁ, ଲୋକଙ୍କ ପ୍ରତି ଆନ୍ତରିକତା ନାହିଁ। ସରକାର ସୁରକ୍ଷା ଦେଇ ପାରିନାହାନ୍ତି ଫଳରେ ଲୋକେ ପୁରୀକୁ ଆସିବାକୁ ଡରୁଛନ୍ତି ବୋଲି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କଥାକୁ କେହି ମାନୁ ନାହାନ୍ତି, ମାନୁଥିଲେ ଏପରି ବିଭ୍ରାଟ ହୋଇନଥାନ୍ତା। କେବଳ ଏସପି କଲେକ୍ଟରଙ୍କ ବଦଳି ନ କରି ବଡ଼ ଅଫିସରଙ୍କ ଉପରେ କାହିଁକି ଆକ୍ସନ ନେଉନାହାନ୍ତି ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି।ବଡ଼ ଠାକୁର ପଡ଼ିଯିବା ଘଟଣା, ଶରଧାବାଲିରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ନନ୍ଦିଘୋଷ ରଥ ଗଡିବାରେ ବିଳମ୍ବ କେବେ ଦେଖିବାକୁ ମିଳିନଥିଲା ବୋଲି ପ୍ରମିଳା କହିଛନ୍ତି।
ତେବେ ରଥଯାତ୍ରା ପ୍ରସଙ୍ଗରେ ବିରୋଧୀଙ୍କ ଅଭିଯୋଗକୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କାଉଣ୍ଟର କରିଛନ୍ତି। ଯେଉଁମାନେ ଅକର୍ମା ଲୋକ ବୋଲି ନିଜକୁ ପ୍ରମାଣିତ କରିସାରିଛନ୍ତି, ସେମାନେ ଅଧିକ କଥା କହୁଛନ୍ତି। ବିରୋଧୀ ଦଳ ନିଜ ଶାସନ ସମୟରେ ଅତୀତରେ କେମିତି ରଥଯାତ୍ରା ପରିଚାଳନା କରୁଥିଲେ ତାହା ଓଡ଼ିଶାବାସୀ ଜାଣିଛନ୍ତି । ତାଙ୍କ ସମୟରେ କ’ଣ ଘଟଣା ଘଟୁଥିଲା ସମସ୍ତେ ଦେଖିଛନ୍ତି। ଏ ବାବଦରେ ବେଶି କିଛି କହିବାର ନାହିଁ। ରଥଯାତ୍ରାକୁ ନେଇ କୌଣସି ରାଜନୈତିକ ସମାଲୋଚନା କିମ୍ବା ରାଜନୀତି ବାତାବରଣ ସୃଷ୍ଟି କରିବାକୁ ଆମେ ଚାହୁଁନାହୁଁ। ଯେଉଁ ମାନେ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ରାଜନୀତି କରୁଛନ୍ତି, ସେମାନଙ୍କୁ ଭଗବାନ ଦଣ୍ଡିତ କରିବେ। ମହାପ୍ରଭୁଙ୍କ ରଥଯାତ୍ରା ସୁରୁଖୁରୁରେ ହେଉ। ଜଗନ୍ନାଥଙ୍କ ଆଶୀର୍ବାଦରେ ହିଁ ରଥଯାତ୍ରାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଭଲରେ ଭଲରେ ଶେଷ ହେବ। ଲୋକଙ୍କ ପାଇଁ ଯାହା ଆବଶ୍ୟକ ସବୁ ବ୍ୟବସ୍ଥା କରାଯାଇଛି। ମଙ୍ଗଳବାର ମଧ୍ୟ ମୁଖ୍ୟମନ୍ତ୍ରୀ ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ସେବାୟତ ମାନଙ୍କ ସହ ମଧ୍ୟ ଭେଟି ଆଲୋଚନା ହୋଇଛି। ତେଣୁ କୌଣସି ସମସ୍ୟା ହେବ ନାହିଁ ବୋଲି ବିଶ୍ୱାସ ଅଛି ବୋଲି ଆଇନ ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
State
ଗଞ୍ଜାମ ( ଦ କୁଇଭର ):- ପୁଣି ଗଞ୍ଜାମରେ ସାମ୍ନାକୁ ଆସିଲା ନାବାଳିକା ଦୁଷ୍କର୍ମ ଘଟଣା। ଗୋଳନ୍ଥରା ଓ ଦିଗପହଣ୍ଡି ଥାନା ଅଞ୍ଚଳରେ ଦୁଇ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ପୋଲିସ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜୁନ ୩୦ ତାରିଖରେ ଗୋଳନ୍ଥରା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ଥାନାରେ ମାମଲା ପରେ ପୋଲିସ ତଦନ୍ତ ତଦନ୍ତ କରି ପୀଡ଼ିତାଙ୍କ ମାମୁଁ ପୁଅକୁ ଗିରଫ କରିଛି । ଗୋଳନ୍ଥରା ଅଞ୍ଚଳର ଏକ ଗ୍ରାମରେ ଜଣେ ୧୧ ବର୍ଷିୟ ନାବାଳିକାକୁ ତାଙ୍କ ସଂପର୍କୀୟ ମାମୁଙ୍କ ପୁଅ ଘରୁ ଡାକି ବାହାରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ସ୍ଥାନୀୟ ଜଣେ ଯୁବକ ଏହା ଜାଣିବା ପରେ ନାବାଳିକାଙ୍କ ପରିବାର ଲୋକଙ୍କୁ ଅବଗତ କରାଇଥିଲେ । ପରେ ପୀଡିତାଙ୍କ ପରିବାର ଲୋକେ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ନାବାଳିକାକୁ ଉଦ୍ଧାର କରିବା ସହ ପୀଡିତାକୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଡାକ୍ତରୀ ମାଇନା କରାଇଛି । ଏହା ଏହାସହ ଦୁଷ୍କର୍ମ ଅଭିଯୁକ୍ତ ଭୁବନ ପ୍ରଧାନକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଡା.ଶ୍ରବଣ ବିବେକ ଏମ୍ । ବ୍ରହ୍ମପୁର ଏସପି ଡା.ଶ୍ରବଣ ବିବେକ ଏମ୍ କହିଛନ୍ତି, " ଗୋଳନ୍ଥରା ଥାନା ଅଞ୍ଚଳର ଗୋଟିଏ ଗାଁରେ ନାବାଳିକାଙ୍କ ମାମୁଁ ପୁଅ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ପୀଡିତାଙ୍କ ଡାକ୍ତରୀ ମାଇନା କରାଯାଇ ଚାଇଲ୍ଡ ଓ୍ବେଲଫେୟାର କମିଟିକୁ ହସ୍ତାନ୍ତର କରାଯାଇଛି । କାଉସିଲିଂ ପରେ ତାଙ୍କ ପରିବାର ଲୋକଙ୍କ ପାଖରେ ସେ ଅଛନ୍ତି । ପୀଡିତା ବୟାନ ଦେଇଛନ୍ତି, ଏହା କେତେଦୂର ସତ ତାହା ତଦନ୍ତ କରିବୁ । "
ସେହିପରି ମଙ୍ଗଳବାର ଦିଗପହଣ୍ଡି ଥାନାରେ ଉକ୍ତ ଅଞ୍ଚଳର ଏକ ଗ୍ରାମରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି ମାମଲାରେ ଦିଗପହଣ୍ଡି ପୋଲିସ ଅଭିଯୁକ୍ତ ମୁରଲୀ ବେହେରାକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ପୋଲିସ ସୂଚନା ଅନୁସାରେ, ଗତ ଜୁନ ୨୯ ତାରିଖ ବିଳମ୍ବିତ ରାତିରେ ପରିବାର ଲୋକେ ଗୋଟିଏ ରୁମରେ ଶୋଇଥିବା ବେଳେ ନାବାଳିକା ଜଣକ ଅନ୍ୟ ଏକ ରୁମରେ ଶୋଇଥିଲେ | ଏହି ସମୟରେ ଅଭିଯୁକ୍ତ ମୁରଲୀ ନାବାଳିକା ଶୋଇଥିବା କୋଠରୀ ଭିତରକୁ ଦୁଷ୍କର୍ମ କରିଥିବା ନେଇ ପୀଡ଼ିତାଙ୍କ ବାପା ଥାନାରେ ଏତଲା ଦେଇଥିଲେ । ଏତଲାକୁ ଆଧାର କରି ପୋଲିସ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।
ଗଞ୍ଜାମ ଜିଲ୍ଲାରେ ଗତ କିଛି ଦିନ ମଧ୍ୟରେ ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଠାରୁ ଆରମ୍ଭ କରି ଗୋଳନ୍ଥରା ଥାନା ଅଞ୍ଚଳରେ ଦୁଇ ସମ୍ପର୍କୀୟ ନାବାଳିକ ଭଉଣୀଙ୍କୁ ଗଣ ଦୁଷ୍କର୍ମ ଏବଂ ପାଟପୁର ଥାନା ଅଞ୍ଚଳରେ ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା ଭଳି ଘଟଣା ଦେଖିବାକୁ ମିଳିଛି । ପ୍ରଶାସନ କଣ ଜାଣିଶୁଣି ନଜର ଆନ୍ଦାଜ କରୁଛି ନା ଦୋଷୀକୁ ଠିକ ଦଣ୍ଡ ଦେଉଛି ତାହା ଆଗାମୀ ଦିନରେ ଜଣାପଡିବ l
State
କୋରାପୁଟ ( ଦ କୁଇଭର ):- ଜୟପୁର ରେଳ ଲାଇନ ଜରଟି ନିକଟରେ ପାହାଡ ଧସି ପଡିଲା,ହୀରାଖଣ୍ଡ ଓ ରାଉରକେଲା ଏକ୍ସପ୍ରେସ ବାତିଲ,ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ରାଉରକେଲା ଏକ୍ସପ୍ରେସ l ପ୍ରବଳ ବର୍ଷାର ପ୍ରଭାବରେ ରେଳଧାରଣା ଉପରେ ମାଟି ଧସିଛି। ଟ୍ରେନ ଆସିବାର କିଛି ସମୟ ପୂର୍ବରୁ ପାହାଡ଼ ଧସି ରେଳଲାଇନ୍ ଅବରୋଧ ହୋଇଛି। ରେଳଧାରଣା ଉପରେ ମାଟି ଧସିବା କାରଣରୁ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। କୋରାପୁଟ-ଜୟପୁର ରେଳପଥର ଜରଟି ନିକଟରେ ଆଜି ଏହି ଘଟଣା ଘଟିଛି। ରେଳବାଇ ପକ୍ଷରୁ କୁହାଯାଇଛି ଏହି ଅପ୍ରୀତିକର ଘଟଣା ଯୋଗୁଁ ୨ଟି ଟ୍ରେନ୍ ବାତିଲ କରାଯାଇଛି। ଜଗଦଲପୁରରୁ ଆସୁଥିବା ରାଉରକେଲା ଏକ୍ସପ୍ରେସ୍ ଓ ଭୁବନେଶ୍ବର ଅଭିମୁଖେ ବାହାରିଥିବା ହୀରାଖଣ୍ଡ ଏକ୍ସପ୍ରେସ୍ ଟ୍ରେନ କୋରାପୁଟ ପହଞ୍ଚିବାରେ ବିଳମ୍ୱ ହେଉଛି। ସେହିପରି ବିଶାଖାପାଟଣା-କିରଣ୍ଡୁଲ ଟ୍ରେନ୍ ପ୍ରଭାବିତ ହୋଇଛି। ଜରଟି-ମାଲିଗୁଡ଼ା ମଧ୍ୟରେ ୨୦୮ କିମି ଠାରେ ଭୂସ୍ଖଳନ ହୋଇଛି। ଆଜି ଅପରାହ୍ଣ ପ୍ରାୟ ୩ଟା ସମୟରେ କେକେ ଲାଇନ୍ର କୋରାପୁଟ ଓ ଜୟପୁର ମଧ୍ୟରେ ଥିବା ଜରଟି ରେଳ ଷ୍ଟେସନ ନିକଟରେ ଏହି ଘଟିଛି ଘଟଣା। ଜଗଦଲପୁରରୁ ଆସୁଥିବା ରାଉରକେଲା ଏକ୍ସପ୍ରେସ୍ ଓ ଭୁବନେଶ୍ବର ଅଭିମୁଖେ ବାହାରିଥିବା ହୀରାଖଣ୍ଡ ଏକ୍ସପ୍ରେସ୍ ଟ୍ରେନ କୋରାପୁଟ ପହଞ୍ଚିବାରେ ବିଳମ୍ୱ ହେଉଛି। ସେହିପରି ବିଶାଖାପାଟଣା-କିରଣ୍ଡୁଲ ଟ୍ରେନ୍ ପ୍ରଭାବିତ ହୋଇଛି। ଜରଟି-ମାଲିଗୁଡ଼ା ମଧ୍ୟରେ ୨୦୮ କିମି ଠାରେ ଭୂସ୍ଖଳନ ହୋଇଛି। ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରେଳଧାରଣାରୁ ମାଟି ସଫା କରାଯିବାକୁ ତ୍ବରିତ ପଦକ୍ଷେପ ନିଆଯାଇଛି। ଯଥା ଶୀଘ୍ର ରେଳଲାଇନ୍ରେ ଟ୍ରେନ୍ ଚଳାଳଚ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବା ପାର୍ଇ ଉଦ୍ୟମ କରାଯାଉଛି।
ପୂର୍ବତଟ ରେଳପଥର ୱାଲଟିୟର ଡିଭିଜନର ବରିଷ୍ଠ ପ୍ରବନ୍ଧକ (ବ୍ୟବସାୟିକ) କେ ସନ୍ଦୀପ କହିଛନ୍ତି, ବର୍ଷା ଯୋଗୁଁ କୋରାପୁଟ-କିରଣ୍ଡୁଲ ଲାଇନର ମାଲିଗୁଡ଼ା-ଜରଟି ଷ୍ଟେସନ ମଝିରେ ଭୂସ୍ଖଳନ ହୋଇଛି। ଏହି ଅଘଟଣ ଯେଗୁଁ ଟ୍ରେନ୍ ଚଳାତଳ ବାଧାପ୍ରାପ୍ତ ହୋଇଛି। ରେଳବାଇର ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଟ୍ରେନ୍ ନମ୍ବର ୧୮୪୪୮ ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ୍ ଟ୍ରେନ୍ ଆଜି ପାଇଁ ଜଗଦଲପୁରରୁ ବାତିଲ କରାଯାଇଛି। ସେହିପରି ଟ୍ରେନ୍ ନମ୍ବର ୧୮୫୧୬ କିରଣ୍ଡୁଲ-ବିଶାଖାପାଟଣା ରାତ୍ରୀକାଳୀନ ଏକ୍ସପ୍ରେସ୍ ଆଜି ପାଇଁ କିରଣ୍ଡୁଲରୁ ବାତିଲ କରାଯାଇଛି।
State
ବ୍ରହ୍ମପୁର( ଦ କୁଇଭର ):- ମଙ୍ଗଳବାର ବ୍ରହ୍ମପୁରରେ ଘଟିଥିଲା ପ୍ରିୟା ମହାରଣା ହତ୍ୟା ଘଟଣା, ସାରା ସହରବାସୀଙ୍କୁ କରି ଦେଇଥିଲା ସ୍ତବ୍ଧ। ପ୍ରେମିକ ସାଜିଥିଲା ସଇତାନ । ପିଲାଟି ଦିନରୁ ଭଲ ପାଇ ଆସୁଥିବା ନିଜ ପ୍ରେମିକାକୁ ଅତି ନିର୍ମମ ଭାବରେ ୨୦ ଥର ଛୁରୀ ଭୂଷି ହତ୍ୟା କରିଛି। ହତ୍ୟାକାଣ୍ଡ ଘଟାଇବା ପରେ ଦୁହିଁଙ୍କ ଫୋନକୁ ପୋଖରୀ ରେ ଫିଙ୍ଗି ଦେଇ ନିଜେ ଗୋଶାଣୀନୂଆଗାଁ ଥାନାରେ କରିଥିଲା ଆତ୍ମସମର୍ପଣ । ତେବେ ଆଜି ସେହି ହତ୍ୟା ଘଟଣାର ଅଭିଯୁକ୍ତ ପ୍ରେମିକକୁ ନେଇ ହୋଟେଲ ଯାଇ ଗତକାଲି ଘଟଣାର କ୍ରାଇମ ସିନ୍ ରିକ୍ରିଏସନ୍ କରିଛି ବୈଦ୍ୟନାଥ ପୁର ଥାନା ପୋଲିସ l କେତେବେଳେ ଗେଷ୍ଟ ହାଉସକୁ ଆସିଥିଲେ,ଉଭୟଙ୍କ ମଧ୍ୟରେ କ'ଣ ହୋଇଥିଲା ଘଟଣା ଓ ଛୁରୀରେ କିଭଳି ପ୍ରିୟାଙ୍କୁ ହତ୍ୟା କରିଥିଲା,ଛୁରୀରେ ପ୍ରିୟାର ଶରୀରର କେତୋଟି ସ୍ଥାନକୁ ଓ କିଭଳି ଛୁରୀ ମାଡ଼ କରିଥିଲା ସେ ନେଇ ସବୁ ତଥ୍ୟ ବଖାଣିଥିଲା ଅଭିଯୁକ୍ତ ପ୍ରେମିକ ଅଭୟ । କ୍ରାଇମ ସିନ୍ ରିକ୍ରିଏସନ୍ ପରେ ଅଭୟକୁ ଥାନାକୁ ନେଇଛି ପୋଲିସ ଏବଂ କୋର୍ଟ ଚାଲାଣ କରିଥିବା ପୋଲିସ ତରଫରୁ ସୂଚନା ମିଳିଛି l
ଅନ୍ୟପଟେ ଆଜି ପ୍ରେମିକା ପ୍ରିୟା ମହାରଣା ର ବ୍ୟବଚ୍ଛେଦ ହୋଇ ଶରୀର କୁ ପରିବାରକୁ ହସ୍ତାନ୍ତର କରିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା ଶ୍ରବଣା ବିବେକ ଏମ l
State
ବ୍ରହ୍ମପୁର( ଦ କୁଇଭର):- ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ପିଚିପିଚା ନଗର ଠାରେ ଥିବା ଏକ ସସ୍ ଫ୍ୟାକ୍ଟ୍ରି ଉପରେ ପୋଲିସର ରେଡ୍ | ସ୍ବାସ୍ଥ୍ୟ ବିଭାଗ ଓ ପୋଲିସ ପକ୍ଷରୁ ରେଡ୍ରେ ଏଠା ରୁ ବହୁ ପରିମାଣ ର ସସ ସହ ଅନ୍ୟାନ୍ୟ ସାମଗ୍ରୀ ଜଦତ କରାଯାଇଛି I ତେବେ ଏହି ସସ୍ ଗୁଡ଼ିକରେ ଆଳୁ ପାଉଡର, କିଛି ରାସାୟନିକ ପଦାର୍ଥ ମିଶି ତିଆରି ହେଉଥିବା ଦେଖିବାକୁ ମିଳିଥିବା ବେଳେ ଦୀର୍ଘ ୧୦ ବର୍ଷ ହେଲା ସହରରେ ବିକ୍ରି ହେଉଥିବା ଅଭି ଯୋଗ ହୋଇଛି I ଆଗକୁ ଏହି ଫ୍ୟାକ୍ଟ୍ରିର ସିଜ୍ ହୋଇଥିବା ଜିନିଷ ଗୁଡ଼ିକୁ ଯାଞ୍ଚ ପାଇଁ ପଠାଯିବା ସହ ଅପମିଶ୍ରଣ ହୋଇଥିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ରାତି ହେଲେ ସହରରେ ବିଭିନ୍ନ ଫାଷ୍ଟଫୁଡ୍ ଠାରୁ ଆରମ୍ଭ କରି ବିଭିନ୍ନ ଜଳଖୁଆ ଦୋକାନରେ ବିକ୍ରି ହେଉଥିବା ସସ କୁ କିଭଳି ତିଆରି କରୁଛନ୍ତି ଦେଖନ୍ତୁ,ଏହି ପ୍ଲାଷ୍ଟିକ୍ ଜାରଗୁଡ଼ିକ ଓ ବଡ଼ ହଣ୍ଡା ଟିକୁ I ଏଥିରେ ନାଲି ନାଲି ହୋଇ ରହିଛି ସସ୍ ଗୁଡ଼ିକା,ଏଥ୍ରେ ଆଳୁ ପାଉଡର, ଷ୍ଟାର୍ଚ, ଟମାଟୋ ପେଷ୍ଟ ପକାଇ ତିଆରି ହେଉଥିଲା । କିନ୍ତୁ ଫୁଡ୍ ବିଭାଗ ଖୋଜୁ ଖୋଜୁ ସେଠାରୁ ମିଳିଥିଲା ବହୁ ପ୍ରକାର କଲର୍ ଓ ଅନ୍ୟାନ୍ୟ ସାମଗ୍ରୀ I ଏସବୁକୁ ମିଶାଇ ତିଆରି ହେଉଥିଲା ଟମାଟୋ ସସ୍ । ଏହା ଜାଣିବା ପରେ ଫୁଡ୍ ବିଭାଗ ପକ୍ଷରୁ ରେଡ୍ କରା ଯାଇ ବିଭିନ୍ନ ଜିନିଷ ସିଜ୍ କରା ଯାଇଛି I ତେ ବେ ଏଗୁଡ଼ିକର ଲାଇସେନ୍ସ ଥିବା ଓ ସେଗୁଡ଼ିକୁ ରୀତିମତ ସାଂଚ କରୁଥିବା କହିଛନ୍ତି ଦୋକାନୀ|ଅନ୍ୟପକ୍ଷରେ ଏହି ଫ୍ୟାକ୍ଟ୍ରିରୁ ମିଳିଥିବା ସସ୍ ଗୁଡ଼ିକରେ କଲର ମିଶାଯାଉଥିବା କହିଛନ୍ତି । ସିନ୍ଥେଟିକ୍ କଲର୍ ମିଶାଇବା ଦ୍ବାରା ଏହା ସ୍ବାସ୍ଥ୍ୟ ପକ୍ଷେ ହାନୀ କାରକ ହୋ ଇଥାଏ । ଏଣୁ ଏଗୁଡ଼ିକର ଯାଚ କରାଯାଇ ଆଗକୁ ପଦକ୍ଷେପ ନିଆଯିବ । ଏହି ଫ୍ୟାକ୍ଟ୍ରି ମଧ୍ୟରେ ସସ୍ ସମେତ ଭି ନେଗାର, ସୋୟା ସସ୍, ଚିଲି ସସ୍ , ସୋୟା ଚ ଙ୍କ ରିପ୍ୟାକିଂ, ଆଚାର ମସଲା ମଧ୍ଯ ତିଆରି କରାଯାଉଥିବା ଦେଖା ଦେଇଥିଲା | ଏଗୁଡ଼ିକ କେତେ ଠିକ୍ ସେଗୁଡ଼ିକୁ ସାଂଚ କରିବା ପରେ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ଖାଦ୍ୟ ନିରାପତ୍ତା ଅଧୁକାରୀ ଅନ୍ୟପକ୍ଷରେ ଏଭଳି ଅପମିଶ୍ରିତ ସାମଗ୍ରୀ ବିକ୍ରି ବଡ଼ବଜାର ଅଂଚଳରେ ହେଉଛି I ଏହା ଉପରେ ରୀତିମତ ଚଢ଼ାଉ କରି କାର୍ଯ୍ୟା ନୁଷ୍ଠାନ ନିଆଯିବା ଆବଶ୍ୟକ | ନଚେତ୍ ଏହା ଲୋକଙ୍କୁ ରୋଗରେ ପକାଇବା ସହ ଦୁରା ରୋଗ୍ୟ ବ୍ୟାଧି ସୃଷ୍ଟି କାରକ ହେବ ବୋଲି କହିଛନ୍ତି ସାଧାରଣ ଲୋକେ | ତେବେ ଏହି ସସ ଫ୍ୟାକ୍ଟ୍ରି ମାଲିକ ପ୍ରଶାନ୍ତ କୁମାର ପାଣିଗ୍ରାହୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l
State,Health & lifestyle
କନ୍ଧମାଳ( ଦ କୁଇଭର ):- ଗୋଟିଏ ପଟେ ପ୍ରସବ ବେଦନା ତ ଅନ୍ୟପଟେ ପ୍ରାୟ ୬ କିଲୋମିଟର ରାସ୍ତା ପାର ହେବାର ଚିନ୍ତା। ଏହା ଦିନେ କି ଦୁଇ ଦିନ ନୁହେଁ। ବର୍ଷ ବର୍ଷ ଧରି ଏଭଳି ସମସ୍ୟା ମଧ୍ୟରେ ରହିଆସୁଛନ୍ତି, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ପଞ୍ଚାୟତ ବାସିନ୍ଦା। ଅଞ୍ଚଳକୁ ଯିବା ପାଇଁ ଅଦ୍ୟାବଧି ପକ୍କା ରାସ୍ତାଟିଏ ହୋଇପାରିନଥିବା ଯୋଗୁଁ ବର୍ଷା ହୋଇଗଲେ କଟାପଙ୍ଗା ଠାରୁ ଡମାଙ୍ଗପଦର ଗାଁ ପର୍ଯ୍ୟନ୍ତ ରାସ୍ତା କାଦୁଅରେ ଭରି ରହିଥାଏ। ଏହାରି ମଧ୍ୟରେ କୌଣସି ମହିଳାଙ୍କ ପ୍ରସବ ବେଦନା ଦେଖାଦେଲେ ଅଞ୍ଛଳକୁ ଆମ୍ୱୁଲାନ୍ସ ଆସିପାରିନଥିବା ଯୋଗୁଁ ଖଟିଆରେ ଗର୍ଭବତୀଙ୍କୁ ଆମ୍ୱୁଲାନ୍ସ ପର୍ଯ୍ୟନ୍ତ ବୋହି ନେଇଥାନ୍ତି ଗ୍ରାମବାସୀ।
ଆଜି ବି ରାଜ୍ୟରେ ଏପରି ଅନେକ ଅପହଞ୍ଚ ଅଞ୍ଚଳ ଅଛି, ଯାହାକି ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି। ଯାହା ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ରକୁ ପଦାରେ ପକାଇଛି। ଆଉ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଜନନୀ ଯନ୍ତ୍ରଣାର ଦୁଃଖ। ଏପରି ପୁଣି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ପଞ୍ଚାୟତ ଅଞ୍ଚଳରେ। ପକ୍କା ରାସ୍ତାଟିଏ ନଥିବାରୁ ଏଠାରେ ଗର୍ଭବତୀ ମହିଳାଙ୍କୁ ପ୍ରସବ ବେଦନା ଆସିଲେ ସେମାନେ ସରକାରୀ ଚିକିତ୍ସାଳୟକୁ ଯିବା ପାଇଁ ଅଞ୍ଚଳବାସୀ ଅନେକ ସମସ୍ୟା ମଧ୍ୟରେ ଜୁଝି ହୋଇପଡ଼ିଥାନ୍ତି। ଆଉ ବର୍ଷା ଦିନେ ଏହି ସମସ୍ୟା ଦ୍ୱିଗୁଣିତ ହୋଇପଡିଥାଏ। ଏଠାରେ ପ୍ରସବ ବେଦନା ଠାରୁ ବଳିପଡିଥାଏ ଖଟିଆରେ ଗର୍ଭବତୀଙ୍କୁ ବୋହି ନେବାର କଷ୍ଟ।
ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ପଞ୍ଚାୟତ ମୁରଡ଼ି ଗ୍ରାମର ୨୬ ବର୍ଷୀୟ ଝିମି ମଳିକ। ତାଙ୍କ ସ୍ୱାମୀ ରାମଚନ୍ଦ୍ର କହଁର କୌଣସି ଏକ ମାମଲାରେ ଗିରଫ ହୋଇ ଫୁଲବାଣୀ ଜେଲରେ ବିଚାରଧିନ ବନ୍ଦୀ। ଏପରିସ୍ଥିତିରେ ଗର୍ଭବତୀ ଝିମିଙ୍କ ପ୍ରସବ ବେହଦନା ସମୟରେ ସାହାଯ୍ୟ କରିବା ପାଇଁ ପରିବାରରେ ଅନ୍ୟ କୌଣସି ସଦସ୍ୟ ଥିବା ଯୋଗୁଁ ଏଭଳି ସ୍ଥିତିରେ ତାକୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ସ୍ଥାନୀୟ ଅଞ୍ଚଳର ଯୁବ ବର୍ଗ। ସ୍ଥାନୀୟ ଯୁବ ନେତା ଦେବେଶ୍ୱର ଦ୍ଵୀପ, ପ୍ରଶାନ୍ତ କମ୍ପ, ସୁମରବନ୍ଧ ସରପଞ୍ଚ ସୁଶୀଳା କହଁର, ଆଶା ଦିଦି ରଜନୀ କହଁର, ସମାଜସେବୀ ବିଗ କହଁର ପ୍ରମୁଖ ଝିମିଙ୍କ ଘରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ସହାୟତାରେ ଖଟିଆ ଭାର କରି ଏଭଳି କାଦୁଅ ପଚପଚ ରାସ୍ତାରେ ୬ କିଲୋମିଟର ବୋହି ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଥିଲେ l ଗୋଟିଏପଟେ ସରକାରଙ୍କ ପକ୍ଷରୁ ଗର୍ଭଧାରଣ ଠାରୁ ସୁରକ୍ଷିତ ପ୍ରସବ ପର୍ଯ୍ୟନ୍ତ ଯେପରି ପ୍ରତେକ କ୍ଷେତ୍ରରେ ଗୁରୁତ୍ୱ ଦିଆଯିବ ସେନେଇ ଅନେକ ପଦକ୍ଷେପ ନିଆଯାଉଥିବା ବେଳେ ଏଠାରେ ଗର୍ଭବତୀଙ୍କ ପ୍ରସବ ବେଦନା ଠାରୁ ରାସ୍ତା ଅତିକ୍ରମ ପାଇଁ ହେଉଥିବା ଯନ୍ତ୍ରଣା ବଳି ଯାଉଥିବା ଯୋଗୁଁ ଏପରିସ୍ଥଳେ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି।
State
ଭୁବନେଶ୍ୱର( ଦ କୁଇଭର ):- ଯିଏ ବି ଦୋଷୀ ଥାଉନା କାହିଁକି କାହାରିକୁ ଛଡ଼ା ଯିବନି। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ । OAS ଅଫିସରଙ୍କ ସମୂହ ଛୁଟି ପ୍ରସଙ୍ଗ ନେଇ ବୈଠକ ମନ୍ତ୍ରୀମାନଙ୍କ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ବୈଠକରେ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଥିବା କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ କାହାରିକୁ ବି ଛଡା ଯିବନି । ଯିଏ ବି ଏ କାଣ୍ଡ କରେଇଛି ସମସ୍ତଙ୍କୁ ଗିରଫ କରାଯିବ, କାର୍ଯ୍ୟାନୁଷ୍ଠାନ ହେବ । ଏହା ସହ ଓଏଏସ ଅଧିକାରୀଙ୍କ ଆନ୍ଦୋଳନର ଖୁବ୍ ଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି । ଲୋକସେବା ଭବନରେ ବିଭିନ୍ନ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ବୈଠକରେ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ନିତ୍ୟାନନ୍ଦ ଗଣ୍ଡ, ଗଣେଶ ରାମ ସିଂ ଖୁଣ୍ଟିଆ, ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ଥିଲେ । ସମୂହ ଛୁଟି ନେଲେ ବିଭିନ୍ନ ବିଭାଗରେ ଅସୁବିଧା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ ।
State
ଦ କୁଇଭର ବ୍ୟୁରୋ,:- ଭୁବନେଶ୍ୱର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କ ଆକ୍ରମଣ ଘଟଣାରେ ଆହୁରି ପ୍ରତିକ୍ରିୟାଶିଳ ହୋଇଛନ୍ତି ଓଏଏସ ସଂଘ । କାର୍ଯ୍ୟରେ ଯୋଗ ନଦେଇ ଜିଦରେ ଅଟଳ ରହିଛି । ଓଏଏସ ସଂଘ ମେଳି କରି ଶକ୍ତି ପ୍ରଦର୍ଶନ କରିବା ସହ ସରକାରଙ୍କୁ ସିଧା ସିଧା ଚରମବାଣୀ ଶୁଣାଇଛନ୍ତି । ସରକାରଙ୍କ ପାଖରେ ୩ଟି ଦାବି ରଖିଛି ସଂଘ,ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କର, ଅଫିସରଙ୍କୁ ସୁରକ୍ଷା ଦିଆଯାଉ,ମାଡ଼ ଘଟଣାକୁ ସାର୍ବଜନୀନ ଭାବେ ସରକାର ନିନ୍ଦା କରନ୍ତୁ l ସବୁ ଭିତରେ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ତରଫରୁ କୁହାଯାଇଛି, କିନ୍ତୁ ବନ୍ୟା ଅଂଚଳ ଓ ରଥଯାତ୍ରା କାର୍ଯ୍ୟରେ ସାମିଲ ରହିବେ ଓଏଏସ ଅଫିସର । ସଂଘର ସଭାପତି କହିଛନ୍ତି ତିନି ଦିନ ଭିତରେ ତଦନ୍ତ ସାରି ସରକାର ଆକ୍ସନ ନେବା ଦରକାର । ଜିଦରେ ଅଟଳ ଥିବା ଅଫିସର ସଂଘକୁ ଲଗାତର ଭାବେ ବୁଝାଇ ଚାଲିଛନ୍ତି ସରକାର । କିନ୍ତୁ ନଝୋଡବନ୍ଧା ସଂଘ । ଅଫିସର କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ପୁଣି ଥରେ ଅନୁରୋଧ କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।
State
ଦ କୁଇଭର ବ୍ୟୁରୋ:- ଆଇଏଏସ ଅଫିସର ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ସାମୟିକ ଆଶ୍ବସ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଯାଏଁ ଆଇଏଏସଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ । ସିବିଆଇ ଚଢ଼ାଉ ମାମଲାରେ ଆଗୁଆ ଜାମିନ ଆବେଦନ କରିଥିଲେ ବିଷ୍ଣୁପଦ । ଆସନ୍ତା ୮ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି । ପୂର୍ବରୁ ବିଷ୍ଣୁପଦଙ୍କ ଆବେଦନ ଖାରଜ କରିଥିଲେ ଓଡିଶା ହାଇକୋର୍ଟ । ଓଡିଶା ବ୍ରିଜ ଆଣ୍ଡ ରୁଫ କର୍ପୋରେସନ ଲାଞ୍ଚ ମାମଲାରେ ଗିରଫ ସମ୍ଭାବନା ଥିବାରୁ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ବିଷ୍ଣୁପଦ । ୧୦ ଲକ୍ଷ ଟଙ୍କା ଲାଞ୍ଚ ଅଭିଯୋଗରେ ବିଷ୍ଣୁପଦଙ୍କ ଘରେ ଚଢ଼ାଉ କରିଥିଲା ସିବିଆଇ । ସିବିଆଇ ଚଢ଼ାଉକୁ ବିରୋଧ କରି ହାଇକୋର୍ଟରେ ଅଭିଯୋଗ ଆଣିଥିଲେ ବିଷ୍ଣୁପଦ । ତାଙ୍କର ତିନି ଜଣ କର୍ମଚାରୀ ତଥା ଡ୍ରାଇଭରଙ୍କୁ ସିବିଆଇ ଜେରା କରିସାରିଛି । ଗତ ସାତ ତାରିଖରେ ବିଷ୍ଣୁପଦ କେଉଁଠି ଥିଲେ ସେନେଇ କାରଣ ଖୋଜୁଥିଲା ସିବିଆଇ । ତେବେ ସେ ଘଟଣା ପରେ ସେପଟେ ବିଷ୍ଣୁପଦଙ୍କୁ ରାଜ୍ୟ ସରକାର ତାଙ୍କର ଯେଉଁ ବିଭାଗର ସଚିବ ଭାବେ ଦାୟିତ୍ବ ଦେଇଥିଲେ ସେ ଦାୟିତ୍ବରୁ ଅପସାରଣ କରି ଅନ୍ୟ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି ।